Chhapana Bhoga (ଛପନ ଭୋଗ)
₹150.00
₹75.00
ସ୍ୱଳ୍ପଗଳ୍ପ ସଂକଳନ 'ଛପନ ଭୋଗ'ର ଅଭିମତ
ଜୀବନର ବିଶାଳ ହ୍ରଦରେ ଅସୁମାରି ଅନୁଭୂତିର ସୁବିସ୍ତୃତ
ଜଳରାଶି । ତା' ଉପରେ ଅବିଭକ୍ତ ସମୟର ଅବିରତ ବର୍ଷା । ଏଇ ବର୍ଷା ପାଣିର ଛିଟା ଏହି ଜଳରାଶି ଉପରେ ଅନବରତ ସୃଷ୍ଟି କରିଚାଲିଥାଏ ନାନା ଘଟଣାର ଅନେକ ଛୋଟବଡ଼ ପାଣିଫୋଟକା, ଯାହା ନିମିଷକ ପାଇଁ ମୁଣ୍ଡ ଟେକି ଉଠି ପୁଣି ମିଳେଇ ଯାଆନ୍ତି ଏହି ଜଳରାଶିର ବିସ୍ତୃତ ବକ୍ଷରେ । ଏଥିରୁ କିଛି ପାଣି ଫୋଟକା ଆଖପାଖର ପଥରମାନଙ୍କରେ ଲାଖି ଯାଇ ଶୁଖିଗଲେ ସୃଷ୍ଟି ହୁଏ ସ୍ମୃତିର ଅନେକ ଦାଗ । ବାକି ଫୋଟକା ସବୁ ଏହି ଅସୁମାରି ଅନୁଭୂତିର ସୁବିସ୍ତୃତ ଜଳରାଶିରେ ଟୁପ୍ କରି ବୁଡ଼ି ଯାଇ ନିଜର ଅସ୍ତିତ୍ତ୍ୱ ହରାଇ ସ୍ମୃତିରୁ ସବୁ ଦିନ ପାଇଁ ଲୀନ ହୋଇ ଯାଆନ୍ତି ।
ମନୁଷ୍ୟର ପଥୁରିଆ ମନ ଉପରେ ଦାଗଟିଏ ଆଙ୍କି ଦୀର୍ଘଜୀବୀ ହେବାର କ୍ଷମତା ଏଇ ଡୁବି ଯାଇଥିବା ଘଟଣାରୂପୀ ପାଣିଫୋଟକାମାନଙ୍କର ନଥାଏ । କିନ୍ତୁ ଏହି କ୍ରମିକତାର ବ୍ୟତିକ୍ରମ ଘଟେ କବି ଲେଖକ ଓ ଚିତ୍ରକରମାନଙ୍କ ଅମୃତ ଦୃଷ୍ଟିପାତରେ ।
ମହାବଳୀ ମହାବୃଦ୍ଧ-ସମୟ ଓ କ୍ଷୁଦ୍ର ଶିଶୁ-ପରିସ୍ଥିତିଟିଏ, ପରସ୍ପର ଉପରକୁ କେତେବେଳେ ସୁଗନ୍ଧିତ ଅବିର, କେତେବେଳେ ସଜ ଗୋବରର ପିଣ୍ଡୁଳାମାନଙ୍କୁ ଫୋପଡ଼ା ଫୋପଡ଼ି କରି ଖେଳୁଥିବା ବେଳେ ଏଇ କବି ଲେଖକ ଓ ଚିତ୍ରକରମାନେ ସେ ଦୁହିଁଙ୍କ ମଝିରେ କୁଦାଟିଏ ମାରି ସେମାନଙ୍କ ଏଇ ପେଣ୍ଡୁମାନଙ୍କରୁ ଗୋଟିଏକୁ ଧରି ନେଇ ତାକୁ ନିଜ ପ୍ରତିଭାର ସଂଜୀବନୀ ମନ୍ତ୍ରରେ ପ୍ରାଣ ପ୍ରତିଷ୍ଠା କରି ପାରନ୍ତି । ଲିଭି ଲିଭି ଆସୁଥିବା ସେଇ ଅଳ୍ପାୟୁ ଶିଶୁ-ପରିସ୍ଥିତିଟି ସେମାନଙ୍କର ଏଇ ମନ୍ତ୍ରବଳରେ ଗଦ୍ୟ, ପଦ୍ୟ ବା ଚିତ୍ରାବଳୀର ରୂପ ନେଇ ଚିରଜୀବୀ ହୋଇଯାଏ । ସେଥିପାଇଁ ତ ମୁଗ୍ଧ ମାନବ ଏହି କରିତକର୍ମାମାନଙ୍କୁ "କବିରେବ ପ୍ରଜାପତି" ଆଖ୍ୟା ଦେଇ ସମ୍ମାନ ଓ ଶ୍ରଦ୍ଧା ଜଣାଇଥାଏ ।
ବିଶ୍ୱରେ ଗଦ୍ୟ ସାହିତ୍ୟର ଇତିହାସରେ, ମାନବ ଜୀବନର ଏହି ଚପଳ କ୍ଷଣମାନଙ୍କୁ ଧରି ରଖିବାର ଆହ୍ୱାନ ସୃଷ୍ଟି କରିଛି ଗଦ୍ୟର କ୍ରମୋଚ୍ଚ ଓ କ୍ରମସୂକ୍ଷ୍ମାୟିତ ପାହାଚମାନଙ୍କୁ : ଉପନ୍ୟାସ, ବଡ଼ ଗଳ୍ପ, କ୍ଷୁଦ୍ର ଗଳ୍ପ, ଛୋଟ ଗଳ୍ପ ଓ ସ୍ୱଳ୍ପଗଳ୍ପ । ଆଙ୍ଗିକ ଓ ଆତ୍ମିକ ବିଭାବରେ ଏମାନଙ୍କ ମଧ୍ୟରେ ସାମଞ୍ଜସ୍ୟ ଯେତିକି, ଅସାମଞ୍ଜସ୍ୟ ମଧ୍ୟ ସେତିକି ଭାବରେ ସୃଷ୍ଟ, ଦୃଷ୍ଟ ଓ ଗ୍ରହଣୀୟ ମଧ୍ୟ ।
ଏହି ପରିପ୍ରେକ୍ଷୀରେ ଲେଖକ ଶ୍ରୀ ପ୍ରମୋଦ କୁମାର ଜେନାଙ୍କ ରଚିତ ଏହି ସ୍ୱଳ୍ପଗଳ୍ପ ସଂକଳନ "ଛପନ ଭୋଗ"ରେ ସ୍ଥାନ ପାଇଥିବା ପ୍ରତ୍ୟେକ କଥନି ମଧ୍ୟ ଜୀବନ ଅନୁଭୂତିର ଅସୁମାରି ଜଳରାଶି ଉପରେ ମିଳାଇ ଯାଉଥିବା କେତୋଟି ଘଟଣାରୂପୀ ପାଣିଫୋଟକାମାନଙ୍କର ଏକ ଏକ ଚିରଜୀବୀ ପରିପ୍ରକାଶ । ଏହାର ନାମକରଣରୁ ହିଁ ଏହାର ବିଭିନ୍ନତା ମଧ୍ୟରେ ଥିବା ସମନ୍ୱୟତାର ପରିଚୟ ମିଳିଥାଏ । ସାଧାରଣରୁ ଅତିସାଧାରଣ ଘଟଣାମାନଙ୍କୁ ଏକ ଏକ ସ୍ୱଳ୍ଳ୍ପଗଳ୍ପର ସ୍ୱରୂପ ଓ ସ୍ୱଭାବ ପ୍ରଦାନ କରି ମୁକ୍ତ ଓ ସାବଲୀଳ ଭାଷାରେ ଜୀବନର ବହୁବିଧ ରସକୁ ଯେପରି ଭାବରେ ଲେଖକ ପାଠକମାନଙ୍କ ଆଗରେ ପରିବେଷଣ କରିଛନ୍ତି, ତାହା ନିଶ୍ଚିତ ଭାବରେ ପ୍ରଶଂସନୀୟ ।
ସାଧାରଣତଃ ଦେଖାଯାଏ, କ୍ଷମତାଶାଳୀ ବ୍ୟକ୍ତିଟିଏ ଯଦି ନିଜର ବିଚାର କ୍ଷମତା ହରାଇ ବସେ, ନିରୀହ ବ୍ୟକ୍ତିଟିଏ ଅତ୍ୟାଚାରିତ ହୁଏ । ଆଇନର ମହାନ୍ ସୂତ୍ର—“ଦୋଷୀ ପଛକେ ଖସିଯାଉ, ନିର୍ଦ୍ଦୋଷ ଦଣ୍ଡ ନ ପାଉ ।“ ଏହି ମହାମନ୍ତ୍ର ଏତିକିବେଳେ ଏଇଠି ନିଜର ସତ୍ତା ହରାଏ । ନିର୍ଦ୍ଦୋଷ ହିଁ ଦଣ୍ଡ ପାଇଥାଏ । ଏପରି ଘଟଣା ଆଖି ଆଗରେ ସତତ ଘଟିଆସିଛି । ନିର୍ଦ୍ଦୋଷର ଲହୁଲୁହରେ ପୃଥିବୀ ବାରମ୍ବାର କଳଙ୍କିତ, ଅଭିଶପ୍ତ ହୋଇଆସିଛି । ଏପରି କିଛି ଦୁଃଖଦ ବିଚାର ବିଭ୍ରାଟ ଘଟଣାକୁ ଲେଖକ ରୂପାୟିତ କରିଛନ୍ତି—'ଭୁଲ୍ କାହାର’, ‘ଅନ୍ୟାୟ’, ‘ଚିନ୍ତାଧାରା’, ସମେତ ଆଉ କିଛି ଗଳ୍ପରେ ।
ପୁନଶ୍ଚ, ପୃଥିବୀରେ ଆଉ କିଛି ଏପରି ଧୀମାନ୍ ବ୍ୟକ୍ତି ମଧ୍ୟ ଅଛନ୍ତି, ଯେଉଁମାନେ ଅନ୍ୟର ଈର୍ଷାକାତର କଟୁ ସମାଲୋଚନାକୁ ‘ଯେମିତି କୁ ସେମିତି’ ରୀତିରେ ଦଣ୍ଡିତ କରିବାକୁ ଚାହିଁ ନଥାନ୍ତି । ସେମାନେ ଭଲଭାବେ ଜାଣିଥାନ୍ତି, ମନୁଷ୍ୟର ନିଜର ନିକଟତମ ବନ୍ଧୁ, ବାନ୍ଧବ କିମ୍ବା ସମ୍ପର୍କୀୟ ମାନେ ହିଁ ଈର୍ଷାକାତର ହୋଇଥାନ୍ତି, ଅପରିଚିତ କେହି ନୁହେଁ । ଏଣୁ ଏମିତି ଏତେ ନିକଟରେ ଥିବା ବ୍ୟକ୍ତିଟିକୁ ତିକ୍ତ କଥାର ତୀର ମାରିବା ଅପେକ୍ଷା ମଧୁର କଥାର ମୁଦ୍ଗର ମାଡ଼ ବେଶୀ କାମ ଦେଇଥାଏ ! ସେଥିପାଇଁ ମାର୍ଜିତ, ମଧୁର ଅଥଚ ଚତୁର କଥାର ଉତ୍ତର ଦେଇ ସେମାନେ ଏଇ ଈର୍ଷାଳୁମାନଙ୍କୁ ନିରୁତ୍ତର, ନିରସ୍ତ୍ର ଓ ନିରୁପାୟ କରି ନିଜକୁ ସଦା ସୁରକ୍ଷିତ ରଖି ପାରନ୍ତି । ଏଇ ଦୃଷ୍ଟାନ୍ତ ଲେଖକ ଶ୍ରୀ ଜେନା ଦେଇଛନ୍ତି- ‘ଚପଲ’, ‘ବଡ଼ଚୋର’, ‘ବୋଉର ଉତ୍ତର’, ‘ଶିକ୍ଷକ’, ‘ସ୍ୱାଦ ଏକ ଭିନ୍ନ ବ୍ୟଞ୍ଜନର’, ସମେତ ଆଉ କେତୋଟି ଗଳ୍ପ ମାଧ୍ୟମରେ ।
ଛୋଟ ଶିଶୁମାନଙ୍କର ନିଷ୍ପାପ ଆଖିରେ ପୃଥିବୀ କିପରି ଦେଖାଯାଏ, ତାକୁ ନିଜେ ଉପଭୋଗ କରି ତା’ର କୋମଳ ମାଧୁର୍ଯ୍ୟକୁ ଲେଖକ ଶ୍ରୀ ଜେନା ପରିବେଷଣ କରିଛନ୍ତି, ‘ଗଜ ଉଦ୍ଧାରଣ’, ‘ତାଲା’ ଇତ୍ୟାଦି ଗଳ୍ପ ମାଧ୍ୟମରେ । ଶିଶୁମାନେ ଯେ ସ୍ୱାଭାବିକ ଭାବେ ନିଃସ୍ୱରେ ବିଶ୍ୱକୁ, ଓ ସ୍ୱଳ୍ପରେ ବିପୁଳକୁ ଦେଖି ଏହାକୁ ଦେଖିପାରୁନଥିବା ବୟସ୍କମାନଙ୍କୁ ଚକିତ କରି ଦେଇପାରନ୍ତି, ଉପରୋକ୍ତ ଗଳ୍ପ ସବୁରେ ଏହାକୁ ସଫଳ ଓ ସୁନ୍ଦର ଭାବରେ ଲେଖକ ଫୁଟାଇ ପାରିଛନ୍ତି ।
ଏହି ପୃଷ୍ଠଭୂମିରେ ଦେଖିବାକୁ ଗଲେ, ଲେଖକ ପ୍ରମୋଦ କୁମାର ଜେନାଙ୍କ ସ୍ୱଳ୍ପଗଳ୍ପ ସଂକଳନ ‘ଛପନ ଭୋଗ’ ବିଭିନ୍ନ ରସର ଏକ ରୁଚିକର ପରିବେଷଣ । କିଛି ଅନାବଶ୍ୟକ ଇଂରାଜୀ ଶବ୍ଦର ଉପସ୍ଥିତି, (ଯେଉଁ ଇଂରାଜୀ ଶବ୍ଦମାନଙ୍କର ଯଥାର୍ଥ, ମନୋଜ୍ଞ ଓଡ଼ିଆ ରୂପ ରହିଛି, ସେଠାରେ ଇଂରାଜୀ ଶବ୍ଦର ବ୍ୟବହାର, ଯେ’ କୌଣସି ଲେଖାର ସୌଷ୍ଠବ ହାନି ହିଁ କରିଥାଏ) ତଥା କେତୋଟି ଗଳ୍ପର ଦୁର୍ବଳ ସମ୍ପାଦନା, ଯଦିଓ ଅନେକ ସ୍ଥାନରେ ମୁଣ୍ଡ ଟେକି ଏହି ସଂକଳନର ନ୍ୟାଯ୍ୟ ମୂଲ୍ୟବୋଧରେ ବାଧା ସୃଷ୍ଟି କରିବାରେ ବେଶ୍ ସକ୍ଷମ, ତଥାପି ସାମଗ୍ରିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ, ‘ଛପନ ଭୋଗ’ ଏକ ସୁଖପାଠ୍ୟ ଗଳ୍ପ ସଂକଳନ ରୂପେ ନିଶ୍ଚୟ ଆଦୃତ ହେବ । ଗାଳ୍ପିକ ଶ୍ରୀ ଜେନାଙ୍କୁ ଅନେକ ଶୁଭେଚ୍ଛା ସହ-
ସ୍ନେହସୁଧା ମିଶ୍ର
ଭୁବନେଶ୍ୱର
୨୧.୦୯. ୨୦୨୩
Quantity


