ସ୍ୱୟଂବର : ଓଡିଆ ନାଟକର ଏକ ସ୍ୱତନ୍ତ୍ର ପରିଚୟ
- Rasmi Rekha Tripathy
- Jul 16
- 5 min read
Updated: Jul 16

କେତେଟା ସଂଳାପ, କିଛିଟା ମାଡ୍ ପିଟ୍, ଟିକେ ଲୁହ ଆଉ କୋହ, ତା ସହିତ କିଛି ହାସ୍ୟରସ, ଶ୍ରୁତିକଟୁ ଗୀତ ଆଉ ଉଦ୍ଦଣ୍ଡ ନୃତ୍ୟ ।ବାସ୍ ହୋଇଗଲା ନାଟକଟିଏ କିମ୍ବା ଅପେରାଟିଏ ।ନହେଲେ କୋଉ ପୁରୁଣା ଚଳଚ୍ଚିତ୍ରରୁ ଫାଳେ କୋଉ ବିଦେଶୀ ନାଟକରୁ ଅଧେ ଆଣି ତାକୁ ମିଶେଇ ପ୍ରସ୍ତୁତ ହୋଇଯାଏ ଖେଚେଡିଟିଏ । ଆଉ ତାକୁ ଯେନତେନ ପ୍ରକାରେଣ ମଞ୍ଚସ୍ଥ କରାଇ ନାଟ୍ୟକାର ଭାବନ୍ତି ସଫଳ ନାଟକଟିଏ ପ୍ରସ୍ତୁତ କରିଦେଲେ । କାହାକୁ ଆକ୍ଷେପ କରିବା ମୋର ଏହି ଆଲୋଚନାର ଉଦ୍ଦେଶ୍ୟ ନୁହେଁ । ତେବେ ଏ ସବୁ ନଥାଇ ବି ସୁନ୍ଦର ନାଟକଟିଏ ସୃଷ୍ଟି ହୋଇପାରିବ । ସମ୍ପୂର୍ଣ୍ଣ ଭାବରେ ମୌଳିକ ନାଟକ । ବର୍ତ୍ତମାନର ଇଣ୍ଟରନେଟର ଯୁଗରେ ଯେଉଁଠି ପୃଥିବୀର ଯେ କୌଣସି ଭାଷା ବିଷୟରେ ଜାଣିବା ସହଜଲବ୍ଧ ହୋଇଗଲାଣି, ଯେଉଁଠି ଅନ୍ୟ ଭାଷାର ସାହିତ୍ୟ ଆଉ ଅପହଞ୍ଚ ହୋଇ ନାହିଁ, ସେଠି ଦର୍ଶକ କିମ୍ବା ପାଠକଙ୍କୁ ଭୁଆଁ ବୁଲେଇବା ଆଉ ସହଜ କଥା ହୋଇନାହିଁ । ମଞ୍ଚ ହେଉ କିମ୍ବା ରୂପେଲୀ ପରଦା ହେଉ ଦର୍ଶକ ଏବେ ପରିବର୍ତ୍ତନ ଚାହିଁଲେଣି । ଏବେକାର ଶିକ୍ଷିତ ଦର୍ଶକଙ୍କୁ ମଞ୍ଚ ପ୍ରତି ଆକୃଷ୍ଟ କରିବାକୁ ହେଲେ ନାଟକର ଶୈଳୀରେ ପରିବର୍ତ୍ତନ ଆବଶ୍ୟକ । ଆଉ ସେମିତି କିଛି ମୌଳିକ ନାଟକର ସ୍ରଷ୍ଟା ହେଉଛନ୍ତି ଶ୍ରୀ ପ୍ରମୋଦ କୁମାର ଜେନା । ନାଟକ ସ୍ୱୟଂବର ସେହି ନାଟକ ସମୂହ ମଧ୍ୟରୁ ଅନ୍ୟତମ ।
“ମଣିଷର ଆଶା ଅସୀମ । ସବୁ ଆଶା କେବେ ବି ପୂରଣ ହୋଇ ପାରେନା । ସମାଜର ସମସାମୟିକ ପରିସ୍ଥିତିକୁ ନେଇ ମଣିଷକୁ ବଞ୍ଚିବାକୁ ପଡେ, ଯାହାକି ବିଧିର ବିଧାନ । କିନ୍ତୁ ଆଜିର ଯୁବ ସମାଜ ଅସମ୍ଭବ ପରିକଳ୍ପନା, ପ୍ରହେଳିକା ଏବଂ ଉଦ୍ଭଟ ଚିନ୍ତାଧାରା ସହ ଗୋଟେ ମିଛ ମରୀଚିକା ପଛରେ ଧାଇଁ ଚାଲିଛି । ବିବାହ ପରି ଏକ ପବିତ୍ର ସମ୍ପର୍କ ସେମାନଙ୍କ ପାଇଁ ଖେଳଘର ପାଲଟି ଯାଇଛି । ଉଚ୍ଚ ଅଭିଳାଷ, ଛଳନା, ପ୍ରେମ, ପ୍ରତାରଣା ଯୁଗ ଯୁଗ ଧରି ନାରୀ ଓ ପୁରୁଷ ମଧ୍ୟରେ ଥିବା ପବିତ୍ର ସମ୍ପର୍କ ଏବଂ ବିଶ୍ଵାସବୋଧକୁ ଦୋହଲାଇ ଦେଇଛି । ଏବେ ସମୟ ଆସିଛି । ଭାରତୀୟ ସଂସ୍କୃତି, ପରମ୍ପରା ଓ ରୀତିନୀତିକୁ ଆପଣେଇ ବିବାହ ପରି ଏକ ପବିତ୍ର ବନ୍ଧନକୁ ଅତୁଟ ରଖିବା ଆମ ଯୁବ ସମାଜ ପାଇଁ ଏକ ଆହ୍ଵାନ । ତା’ ହେଲେ ଆସନ୍ତୁ, ଆମେ ସମସ୍ତେ ମିଳିମିଶି ଆଜିର ପଥଭ୍ରଷ୍ଟ ଯୁବ ସମାଜକୁ ସଠିକ ପଥରେ ଆଗେଇ ନବା ।” ଉଦ୍ଧୃତାଂଶଟି ହେଉଛି ନାଟକ ଶେଷରେ ନାଟ୍ୟକାରଙ୍କର ବାର୍ତ୍ତା ସମଗ୍ର ସମାଜ ଉଦ୍ଦେଶ୍ୟରେ ।
ରାଜ ପରିବାରର ନନ୍ଦିନୀ ସୁଶ୍ରୀ ନିବେଦିତା । ଯାହାଙ୍କର କାନ୍ଧରେ ଭରା ଦେଇ ଆଗେଇଛି ପୁରା ନାଟକଟି । କୁଳଗୁରୁଙ୍କର ପରାମର୍ଶରେ ସେ ନିଜ ବିବାହ ପାଇଁ ସ୍ୱୟଂବରର ଆୟୋଜନ କରିଛନ୍ତି । ପରମ୍ପରାର ଖୋଳପା ଉପରେ ଆଧୁନିକତାର ପୁଟ ଦେଇ ସଫଳତାର ଶିଖର ଛୁଇଁଛି ନାଟକ ସ୍ୱୟଂବର । ଖବରକାଗଜରୁ ବିଜ୍ଞାପନ ପଢି ନିର୍ଦ୍ଧାରିତ ଦିନରେ ଆସିଛନ୍ତି ଜଣକ ପରେ ଜଣେ ପ୍ରାର୍ଥୀ । ବିଭିନ୍ନ ଯୋଗ୍ୟତା, ବିଭିନ୍ନ କର୍ମସଂସ୍ଥାନ, ଆଉ ବିଭିନ୍ନ ସାମାଜିକ ସ୍ଥିତିରୁ ଆସିଛନ୍ତି କିଛି ପ୍ରାର୍ଥୀ । ଆଉ ସମସ୍ତଙ୍କ ଠାରେ ନିବେଦିତା ଦେଖିଛି କିଛି ଗୁଣ, ଆଉ କିଛି ଖୁଣ । ଗୁଣ ଦ୍ୱାରା ପ୍ରଭାବିତ ହୋଇଛି, ପୁଣି ଦ୍ୱନ୍ଦ୍ୱରେ ପଡିଛି କାହାକୁ ଗ୍ରହଣ କରିବ ଆଉ କାହାକୁ ପ୍ରତ୍ୟାଖ୍ୟାନ କରିବ ?
“ମଣିଷ ମାତ୍ରେ ଦୋଷଯୁକ୍ତ l କୌଣସି ଜଣକ ପାଖରେ ଏ ସବୁ ପାଇବା ଅସମ୍ଭବ l ମହାଭାରତ ଯୁଗରେ ଦ୍ରୌପଦୀ ସେୟା ହିଁ ଚାହିଁଥିଲେ l ଆଉ ପ୍ରଭୁଙ୍କ ଠାରୁ ସେ ବରପ୍ରାପ୍ତି କରିଥିଲେ l ଫଳ କ’ଣ ହେଲା ? ତାଙ୍କୁ ପାଞ୍ଚଟି ବର ପ୍ରାପ୍ତି ହେଲା l ସବୁ ଗୁଣ କୌଣସି ଏକ ବ୍ୟକ୍ତି ପାଖରେ ଅସମ୍ଭବ l କିଛି ପାଇବାକୁ ହେଲେ କିଛି ଦେବାକୁ ହୁଏ l ତେଣୁ ତୁମେ ହିଁ ସ୍ଥିର କର ତୁମେ କ’ଣ ପାଇବ ଆଉ କ’ଣ ତ୍ୟାଗ କରିବ ?” ପରିଶେଷରେ କୁଳଗୁରୁଙ୍କର ନିବେଦିତା ପ୍ରତି ଏହି ପରାମର୍ଶ ସହ ନାଟକର ପରିସମାପ୍ତି ଘଟିଛି ।
ସ୍ୱୟମ୍ବରର ପ୍ରଥମ ପ୍ରାର୍ଥୀ ହେଉଛନ୍ତି ଯୋଗିନୀଖିଆ । ବ୍ୟଙ୍ଗ କବି ଯୋଗିନୀଖିଆ, ଯିଏ କି ସିଧା କଥାକୁ ଟିକିଏ ବଙ୍କେଇକି କୁହନ୍ତି । ପ୍ରକୃତ ନାମ ଶାନ୍ତ ସୁଧୀର ବଳିଆରିସିଂ । ଆଧୁନିକ ବ୍ୟଙ୍ଗ କବିମାନଙ୍କର ଧାରା ଅନୁସରଣ କରି ବାପା ମାଆଙ୍କର ପ୍ରଦତ୍ତ ନିଜର ନାଆଁକୁ ବଦଳେଇଦେଇ ସେହି ନାଆଁରେ ପରିଚିତ ହେବାକୁ ପସନ୍ଦ କରିଛନ୍ତି । ଏମିତି ଏକ ଚରିତ୍ର ଯିଏକି ସମାଜରେ ପ୍ରତିଷ୍ଠା ପାଇବାକୁ କାମନା ରଖିଛନ୍ତି, କିନ୍ତୁ ନିଜର ନିଜତ୍ୱକୁ ବି ବଜାୟ ରଖିଛନ୍ତି । ସେଥିପାଇଁ ନାଟ୍ୟକାର ଶ୍ରୀ ଜେନା ଏହି ଚରିତ୍ର ମୁହଁରେ ସଂଳାପ ରଖିଛନ୍ତି, “କବି କେବେ କାହାକୁ ଇମ୍ପ୍ରେସ୍ କରିବାକୁ ଯାଏନା l” ପୁନଶ୍ଚ ଶେଷରେ କୁହେଇଛନ୍ତି,
“ମଶାଣୀର ନିଆଁ ଦେଖିବା ଆଗରୁ ମୁହଁରେ ନଥିବ ରଙ୍ଗ
ସମ୍ପତ୍ତି ସୋଦର ବଳ ଯଉବନ କେହି ଦେବେନି ତୋ ସଙ୍ଗ
ଆଉ ଆମ ସମ୍ପତ୍ତି... ?
ପାଠକ ମୁହଁର ଆନନ୍ଦ ଲହରୀ ଆମର ବଡ ସମ୍ପତ୍ତି
କାଲି ଚାଲିଯାଉ ଦୁନିଆରୁ ଯଦି କବିତା ଗାଇବ ଖ୍ୟାତି
କବିତା ଗାଇବ ଖ୍ୟାତି”
ପ୍ରାର୍ଥୀ ତାଲିକାରେ ଅଛନ୍ତି ବସନ୍ତ ଜଗଦେବରାୟ, ଇଣ୍ଡଷ୍ଟ୍ରିଆଲିଷ୍ଟ୍ ଆଦିତ୍ୟ ଜଗଦେବରାୟଙ୍କର କନିଷ୍ଠ ପୁତ୍ର, ଯିଏ କି ବାପାଙ୍କ ପରିଚୟ ନେଇ ସନ୍ତୁଷ୍ଟ, ଆଉ ଯାହାକୁ ଦରକାର ତାଙ୍କ ମାଆଙ୍କ ଭଳି ଗୃହିଣୀଟିଏ ଯିଏ କି ସୁଖରେ ଦୁଃଖରେ ସହଯୋଗ ଓ ସହାନୁଭୂତି ଦେଇ ପାରିବ । ଆଧୁନିକ ଯୁବକର ସବୁ ପ୍ରକାର ଗୁଣ ଏହି ଚରିତ୍ରଟି ନିକଟରେ ଅଛି । ଯେମିତିକି ପଇସାର ବଳରେ ଅସମ୍ଭବକୁ ସମ୍ଭବ କରିବା ସ୍ୱପ୍ନ, ଜୀବନକୁ ସୁନ୍ଦର ଭାବରେ ଜୀଇଁବାର ଇଚ୍ଛା, ପାର୍ଟିସାର୍ଟି, ସାଙ୍ଗସାଥୀ, ମଉଜ ମଜିଲିସରେ ଭରପୁର ଜୀବନକୁ ଉପଭୋଗ କରୁଥିବା ଏହି ଚରିତ୍ରଟି ନିକଟରେ ଭାଇ ଭାଉଜଙ୍କ ପ୍ରତି ଅନୁଭବ, ମାଆଙ୍କ ପ୍ରତି ନମ୍ରତା ଓ ଆଉ ବାବାଙ୍କର ଜୀବନ ଦର୍ଶନ ପ୍ରତି ସମ୍ମାନବୋଧ ରହିଛି । ସେ ଆଧୁନିକତାରେ ବିଶ୍ୱାସ କରେ, କିନ୍ତୁ ଉତ୍ସୃଙ୍ଖଳ ନୁହେଁ ।
“ମଣିଷର ଶାନ୍ତି ନିର୍ଭର କରେ ତିନୋଟି ଜିନିଷରେ l ରୋଜଗାର... ଖର୍ଚ୍ଚ... ଆଉ ସଞ୍ଚୟ... ଯାହାର ଏଇ ତିନୋଟି ଆସ୍ପେକ୍ଟ୍ ଭିତରେ ଠିକ୍ ସମନ୍ୱୟ ଅଛି, ସେ ଖୁସି l ମାନେ ରୋଜଗାର କରିବେ... ଖର୍ଚ୍ଚ କରିବେ... ଆଉ ସଞ୍ଚୟ ମଧ୍ୟ...”
ସ୍ୱୟଂବରର ଅନ୍ୟତମ ପ୍ରାର୍ଥୀ ଡକ୍ଟର୍ ରାୟ ନିଜେ ନ ଆସି ତାଙ୍କର ଆସିଷ୍ଟାଣ୍ଟ୍ ପର୍ଶୁରାମ ପ୍ରଧାନଙ୍କୁ ପଠେଇଛନ୍ତି । ନାଟକର ଏହି ଚରିତ୍ରଟି ସମାଜର ଗୋଟିଏ ବିକଳ ଅଙ୍ଗକୁ ଅତି ସୁନ୍ଦର ଭାବରେ ଦର୍ଶକଙ୍କ ସାମ୍ନାରେ ପ୍ରତିଫଳିତ କରେଇଛନ୍ତି । ଡାକ୍ତରୀ ଚାକିରି ଏକ ଉତ୍ତମ ଚାକିରି । କିନ୍ତୁ ଡେମୋକ୍ଲିସର ଖଣ୍ଡା ଝୁଲି ରହିବା ଭଳି ବିପଦର ଘେର ଭିତରେ ସର୍ବଦା ଶଙ୍କିତ ଡାକ୍ତରଟିଏ । ଲୋକମାନେ ତାକୁ ଡାକ୍ତର ନୁହେଁ ତ ମେସିନ୍ ଭାବିନେଇଛନ୍ତି । ସେ ଠିକ୍ ଭାବରେ ଶୋଇପାରେନି, ସେ ଠିକ୍ ଭାବରେ ଖାଇପାରେନି । ଅନେକ ସମୟରେ ଷଡଯନ୍ତ୍ରର ଶିକାର ହୋଇଯାଏ । ସୋସିଆଲ୍ ନେଟଓ୍ୱର୍କରେ ବଦନାମ ହୋଇଯିବାର ଭୟରେ ଅସ୍ଥିର ଡାକ୍ତରଟିଏ ।
“ଆଗେ କ’ଣ ରୋଗୀ ମରୁ ନଥିଲେ ? ନାଃ... ଏବେ ପରା ଟ୍ରେଣ୍ଡ୍ ଚାଲିଛି l ଆମ ସାର୍ କହୁଥିଲେ, କୌଣସି ଡକ୍ଟର୍ କେବେ ଚାହାନ୍ତିନି କି ରୋଗୀ ମରିଯାଉ l ସାର୍ କୁହନ୍ତି, ସେମାନେ କେବଳ ରୋଗୀର ଟ୍ରିଟମେଣ୍ଟ୍ କରନ୍ତି l କିନ୍ତୁ ଭଲ କରିବା ଲୋକ ଉପରବାଲା l ସମସ୍ତେ ଭାବନ୍ତି ଆମେ ଅମର l କୌଣସି ରୋଗ ଆମକୁ ମାରିପାରିବ ନାହିଁ l ଔଷଧ ଖାଇଲେ ସବୁ ଭଲ ହୋଇଯିବ l ଯଦି କେହି ମଲା, ତା’ହେଲେ ତା’କୁ ଡକ୍ଟର୍ ମାରିଦେଲେ l ବୁଝିଲେ... ଜନମ ମରଣ ବରଷା...l କହି ନ ପାରନ୍ତି ପୁରୁଷା...l”
“ଜଣେ ଡାକ୍ତରର ସ୍ତ୍ରୀ ହେବା କିଛି କମ୍ ଗର୍ବର କଥା ନୁହେଁ l ମଣିଷ ନିଜ ସୁଖ ପାଇଁ ଜନମ ନେଇନି l ଅନ୍ୟ ପାଇଁ ବଞ୍ଚିବା ଶିଖନ୍ତୁ ... ସେଥିରେ ଯେଉଁ ଆତ୍ମ ତୃପ୍ତି ଅଛି, ଆଉ କେଉଁଥିରେ ନାହିଁ... ମୁଁ ଆସୁଛି ମାଡାମ୍ । ମୋ କଥା ଭଲ କରି ଚିନ୍ତା କରିବେ । ନମସ୍କାର ।”
ସ୍ୱୟଂବରର ଏହି ଚରିତ୍ର ମାଧ୍ୟମରେ ନାଟ୍ୟକାର ସମାଜର ବିଭିନ୍ନ କଳଙ୍କିତ ଘଟଣାକୁ ଲୋକଲୋଚନକୁ ଆଣିବା ସହିତ ଜଣେ ଡାକ୍ତରଙ୍କର ଅସହାୟତା, ମାନସିକତା ଓ ସହୃଦୟତାର ଭାବନାକୁ ସୁନ୍ଦର ଭାବରେ ପର୍ଶୁରାମ ପ୍ରଧାନଙ୍କ ମୁହଁରେ ସଂଳାପ ମାଧ୍ୟମରେ ଦର୍ଶେଇବାରେ ସକ୍ଷମ ହୋଇପାରିଛନ୍ତି ।
“ମଣିଷ ନିଜ ସୁଖ ପାଇଁ ଜନ୍ମ ନେଇନି । ଅନ୍ୟ ପାଇଁ ବଞ୍ଚିବାରେ ଯେଉଁ ଆତ୍ମତୃପ୍ତି ଅଛି, ତାହା ଅନ୍ୟ କେଉଁଥିରେ ନାହିଁ ।”
ବୃତ୍ତିରେ ଶିକ୍ଷକ, ରାଧାକୃଷ୍ଣ ମହାପାତ୍ର ନାଟକର ଅନ୍ୟ ଏକ ଚରିତ୍ର, ଯିଏ କି ଜଣେ କୃତୀ ଛାତ୍ର ଥିଲେ ଓ କୃତିତ୍ତ୍ୱର ସହ ସବୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ବାଧ୍ୟବାଧକତା ଯୋଗୁ ନୁହେଁ ବରଂ ସ୍ୱେଚ୍ଛାରେ ଶିକ୍ଷକ ବୃତ୍ତିକୁ ଆପଣେଇନେଇଥିଲେ ଓ ପୂର୍ବତନ ରାଷ୍ଚ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ନାମାନୁସାରେ ତାଙ୍କ ବାପା ତାଙ୍କ ନାମ ରଖିଥିବାରୁ ସେହି ନାମର ଯଥାର୍ଥତା ପ୍ରତିପାଦନ କରିବା ନିମନ୍ତେ ସର୍ବଦା ଚେଷ୍ଟିତ ଥିଲେ । ପଦବୀ ସ୍ଥାୟୀ ନୁହେଁ, ସମ୍ମାନ ଚିରସ୍ଥାୟୀ l ଏହାକୁ ପ୍ରମାଣିତ କରିବା ପାଇଁ ସେ ସଂସ୍କୃତର ଶ୍ଲୋକଟିଏ ଉଦ୍ଧାର କରିଛନ୍ତି, “ନ ଚୋରହାର୍ଯ୍ୟଂ ନ ଚ ରାଜହାର୍ଯ୍ୟଂ, ନ ଭ୍ରାତୃହାର୍ଯ୍ୟଂ ନ ଚଭାରକାରୀ, ବ୍ୟୟେ କୃତେ ବର୍ଦ୍ଧତେ ଏବ ନିତ୍ୟଂ, ବିଦ୍ୟାଧନଂ ସର୍ବଧନ ପ୍ରଧାନମ୍...”
ଶିକ୍ଷକମାନେ କାହିଁକି ଟ୍ୟୁସନ୍ କରି ଶିକ୍ଷାକୁ ବ୍ୟବସାୟରେ ପରିଣତ କରିଛନ୍ତି ବୋଲି ରାଜକୁମାରୀ ନିବେଦିତା ଅଭିଯୋଗ କରନ୍ତେ, “ଡକ୍ଚର୍, ଇଞ୍ଜିନିୟର୍, ସରକାରୀ ଓକିଲ, ସମସ୍ତେ ପ୍ରାଇଭେଟ୍ ପ୍ରାକ୍ଟିସ୍ କରିପାରିବେ l ଜଣେ ଶିକ୍ଷକ କଲେ ଏତେ ଭ୍ରୂକୁଞ୍ଚନ କାହିଁକି ?” ବୋଲି ନାଟ୍ୟକାର ରାଧାକାନ୍ତ ମୁହଁରେ ସଂଳାପ ଦେଇଛନ୍ତି । କେବଳ ସେତିକି ନୁହେଁ । ସାମ୍ପ୍ରତିକ ପରିସ୍ଥିତିରେ ଶିକ୍ଷକ ସମାଜ ଯେଉଁପରି ଅବହେଳାର ଶିକାର ହେଉଛନ୍ତି, ସେମାନଙ୍କର ଯୋଗ୍ୟତାକୁ ଯେମିତି ଅପବ୍ୟବହାର କରାଯାଉଛି, ଅସମ୍ମାନର ଅନ୍ଧଗଳିରେ ନିଷ୍ପେସିତ ଶିକ୍ଷକ ସମାଜ ପ୍ରତି କିନ୍ତୁ ଏହି ଯୁବ ଶିକ୍ଷକଙ୍କର ଧାରଣା ଏବେ ବି ଅପରିବର୍ତ୍ତିତ । ସଂସ୍କୃତରେ ଗୋଟିଏ ଶ୍ଲୋକ, “ଆତ୍ମ ମାତା, ଗୁରୁଃ ପତ୍ନୀ, ବ୍ରାହ୍ମଣୀ ରାଜା ପତ୍ନୀକା, ଧେନୁର ଧରତୀ ତଥା ପୃଥିବୀ, ସପ୍ତଇତା ମାତରଃ ସ୍ମୃତଃ...”କୁ ଉଦ୍ଧାର କରି ସେ କହିଛନ୍ତି, “ସାତ ଜଣଙ୍କୁ ମାଆର ସମ୍ମାନ ଦିଆଯାଏ l ସେମାନଙ୍କ ମଧ୍ୟରୁ ଗୁରୁପତ୍ନୀ ବି ଜଣେ l ହଜାର ହଜାର ଛାତ୍ରଙ୍କର ମାଆର ସମ୍ମାନ ପାଇବାର ହକଦାର୍ ହେଉଛନ୍ତି ଜଣେ ଗୁରୁପତ୍ନୀ l”
ବାସ୍ତବିକ ରାଧାକାନ୍ତଙ୍କ ଭଳି କିଛି ମଣିଷଙ୍କ ଯୋଗୁଁ ସମାଜର ସ୍ଥିତି ରହିଛି । ଅନେକ ପ୍ରତିକୂଳ ପରିସ୍ଥିତି ଭିତରେ ବି ସେ ଆଲୋକର ଉତ୍ସ ଖୋଜିବାକୁ ପସନ୍ଦ କରିଛନ୍ତି । ନିଜକୁ ନିଜେ ସମ୍ମାନ ଦେବା ଶିଖିଛନ୍ତି । ନିଜ ଜୀବିକାକୁ ପ୍ରଧାନ୍ୟ ଦେଇଛନ୍ତି । ଏଠାରେ ନାଟ୍ୟକାରଙ୍କର ସକାରାତ୍ମକ ମନୋବୃତ୍ତିର ପରିଚୟ ମିଳିଥାଏ ।
ସେହିପରି ଅନ୍ୟ ଏକ ଚରିତ୍ର ରତ୍ନାକର ପାଇକରାୟ । ବେଶି ପାଠ ପଢିନାହାନ୍ତି । ଭଲ ଚାକିରି ବି କରିନାହାନ୍ତି । ତେବେ ବି ମନରେ କ୍ଷୋଭ ନାହିଁ । କାରଣ ତାଙ୍କ ପାଖରେ ଆହୁରି ଭଲ ଗୁଣ ଅଛି । ସେ ଭଲ ରୋଷେଇ କରିପାରନ୍ତି । ବଗିଚା କାମ କରିପାରନ୍ତି । ଗୀତ ଗାଇପାରନ୍ତି । ଘରକୁ ସଜାଇ ରଖିପାରନ୍ତି । ଏତେ ସବୁ ପାରିବା ଭିତରେ ତାଙ୍କର ନିପାରିବାପଣଟି ଲୁଚେଇ ରଖନ୍ତି । ଯଦି ପୁଅ ଭଲ ଚାକିରି କରି ଝିଅ ଅ ଅକ୍ଷର ବିବର୍ଜିତ ହୋଇ ବିବାହ ସମ୍ପର୍କ ସ୍ଥାପନ ହୋଇପାରେ, ତେବେ ବିପରୀତଟି କାହିଁକି ନୁହେଁ । ଝିଅଟିଏ ଯଦି ହାଉସ୍ ୱାଇଫ୍ ହୋଇପାରିବ, ତେବେ ପୁଅଟିଏ କାହିଁକି ହାଉସ୍ ହଜବ୍ୟାଣ୍ଡ୍ ହୋଇପାରିବ ନାହିଁ ?
ଏହି ପରିପ୍ରେକ୍ଷୀରେ ଗପଟିଏ ମନେପଡେ । ଥରେ ଜଣେ ପଣ୍ଡିତ ଡଙ୍ଗାରେ ନଈ ପାରି ହେଉଥିଲେ । କଥାବାର୍ତ୍ତା ଛଳରେ ନାଉରୀଆର ପାଠ ନ ପଢିଥିବାଜନିତ ମୂର୍ଖତାକୁ ଆକ୍ଷେପ କରି ତାର ଅଧା ଜୀବନ ନଷ୍ଟ ହୋଇଗଲା ବୋଲି କହିଥିଲେ । ସେତିକିବେଳେ କୌଣସି କାରଣବଶତଃ ଡଙ୍ଗାଟି ବୁଡିଯିବାକୁ ଲାଗିଲା । ନାଉରୀ ପଣ୍ଡିତଙ୍କୁ ପଚାରିଲା ସେ ପହଁରା ଜାଣିଛନ୍ତି କି ନାହିଁ । ଉତ୍ତରରେ ପଣ୍ଡିତ ମନା କରନ୍ତେ, ନାଉରୀ କହିଲା ତେବେ ତ ଆପଣଙ୍କ ପୁରା ଜୀବନ ନଷ୍ଟ ହୋଇଯିବ । ଏବଂ ପଣ୍ଡିତଙ୍କ ଅସହାୟତାକୁ ଉପଲବ୍ଧି କରି ନିଜର ଜୀବନ ବଞ୍ଚେଇବା ସହିତ ପଣ୍ଡିତଙ୍କ ଜୀବନ ବି ବଞ୍ଚେଇଥିଲା ।
ନାଟକର ଏହି ଦୃଶ୍ୟ ପାଠକ ତଥା ଦର୍ଶକଙ୍କୁ ଭାବିବାକୁ ବାଧ୍ୟ କରିଦେବ ଯେ, ଯଦି ଜଣେ ରୋଜଗାରକ୍ଷମ ପୁରୁଷ, ରୋଜଗାର କରୁନଥିବା କିମ୍ବା ସ୍ୱଳ୍ପ ଶିକ୍ଷିତା ନାରୀକୁ ବିବାହ କରିପାରିବ, ତେବେ ବିପରୀତ ଘଟଣା ହେଲେ ଅସୁବିଧା କଣ ? କାମବାଲୀ ଝାଡୁ ମାରୁ ମାରୁ ପୁରା ଘରଟା ଝାଡୁ ମାରିଦେବ । ଚୋରି ତ ଚଳିବ l ଜୀବନଟା ବି ପଳେଇବ କୋଉ ଦିନ l ଘରଭଡା, କାମବାଲି, ଟ୍ୟାକ୍ସ... ତାହାହେଲେ କେତେ ଟଙ୍କା କମେଇବ ? ପିଲାଙ୍କ ଆଡମିସନ୍ ପାଇଁ ଟଙ୍କାଟେ ବି ବଞ୍ଚିବନି l ଏବେ ଏହି ବିଷୟ ଉପରେ ଭାବିବାର ସମୟ ଆସିଯାଇଛି ।
ନାଟକର ଅନ୍ୟ ଏକ ଚରିତ୍ର ଜଣେ ସରକାରୀ କର୍ମଚାରୀ ଯିଏ କି ନିଜର ସଚ୍ଚୋଟତାକୁ ନେଇ ଗର୍ବିତ । “ଜଣେ ଲୋକ ଭୋଜି ଖାଇବାକୁ ଗଲା l ଯେତେବେଳେ ମାଛ ଖାଇଲା ଆନନ୍ଦରେ ଖାଇଲା... ଖୁସି ଯେ ଆଇଁଷ ପାଣି ମିଳିଗଲା l ଆଉ ଜଣେ ଆଇଁଷ ଖାଇ ଅସନ୍ତୁଷ୍ଟ ହେଲେ... ହୁଁ ମାଛ କରିଛି... ମାଛ ହେଲେ କିଏ ଖାଏ ? ଯଦି ଚିକେନ୍ ହୁଏ, ସେଇ ଏକା କମ୍ପ୍ଲେନ୍... ଯଦି ମଟନ୍ ହୁଏ, ଏଗୁଡାକ ଖାସି ମାଂସ ନୁହେଁ ... ଯଦି ଖାସି ମାଂସ ହୁଏ, ଶିଝି ନଥିଲା... ଯଦି ଶିଝି ଥାଏ... ପ୍ରିପାରେସନ୍ ଭଲ ହୋଇ ନଥିଲା l ଯଦି ଖାସି ମାଂସ ଶିଝିଥିବ, ପ୍ରିପାରେସନ୍ ଭଲ ହୋଇଥିବ, ଅଳ୍ପ ସର୍ଭ୍ କଲେ, ଯଦି ବେଶି ଦେବେ, ମ୍ୟାନର୍ ଜାଣି ନାହାନ୍ତି l” ସେହି ଚରିତ୍ରର ଏହି ସଂଳାପ ମାଧ୍ୟମରେ ନାଟ୍ୟକାର କହିବାକୁ ଚାହିଁଛନ୍ତି ଯେ, “ହଜାର ଟଙ୍କାରେ ବି ଚଳି ପାରିବେ l ଲକ୍ଷେ ଟଙ୍କାରେ ବି ଚଳିପାରିବେ l ଅନ୍ୟକୁ କମ୍ପେୟାର୍ କରି ଦୁଃଖ ପାଇଲେ କିଛି କରିବାର ନାହିଁ l ଶାନ୍ତି... ଦରମାରେ ନଥାଏ l ଶାନ୍ତି ମୁଣ୍ଡରେ ଥାଏ l”
“ଯେତେବେଳେ କେହି ଆପଣଙ୍କ ସାହାଯ୍ୟ କରିବାକୁ ଆସିବେନି, ବାର୍ଦ୍ଧକ୍ୟ ଦାଣ୍ଡରେ ଠକ୍ ଠକ୍ କରିବ l ଜରା ଏଡେ ଏଡେ ଆଖି କରି ନ ଅନାଇବ ସେତେବେଳେ ଏଇ ସରକାରୀ ଚାକିରିର ପେନସନ୍ ଗଣ୍ଡାକ ଆପଣଙ୍କ ପାଖରେ ଥିବ l ସେଇଟା ଆପଣଙ୍କ ହାତରୁ କେହି କାଟି ପାରିବେନି l ସବୁ ସମ୍ପତ୍ତି ଚାଲିଯିବ l ସବୁ ଭାଇ-ବନ୍ଧୁ ଅଲଗା ହୋଇଯିବେ l ବାପା ମାଆଙ୍କ ସାୟା ଉଡିଯାଇଥିବ l ଏଇ ପେନସନ୍ ଗଣ୍ଡାକ ଅମୃତର ଧାରା ଭଳି ଆଶ୍ରୟ ଦେବ l ଜଣେ ଚାଲିଗଲେ ଅନ୍ୟ ଜଣଙ୍କୁ ମିଳିବ l ଦୁଇ ଜଣ ଚାଲିଗଲେ ପୁଅ ଝିଅଙ୍କୁ ମିଳିବ l ଅବିବାହିତା ଝିଅକୁ ବାହାଘର ପର୍ଯ୍ୟନ୍ତ ମିଳିବ l କୌଣସି ପରିସ୍ଥିତିରେ ଯଦି ବିବାହିତା କନ୍ୟା ଘରକୁ ଫେରିଆସେ, ତା’କୁ ବି ମିଳିବ l ଅପଙ୍ଗ ଛୁଆଙ୍କୁ ଜୀବନ ସାରା l ତା’ ଛଡା ରୋଗ... ବଇରାଗ... ବେଳେ ସରକାରୀ ଡାକ୍ତରଖାନାରେ ବିନା ଶୁଳ୍କରେ ଟ୍ରିଟମେଣ୍ଟ୍ l ଏତେ ବଡ ସୁବିଧା ଆଉ କେଉଁଠି ମିଳିବନି, କେବଳ ସରକାରୀ ଚାକିରିରେ ମିଳିବ l” ନାଟକର ଏହି ସଂଳାପ ସାମ୍ପ୍ରତିକ ସମାଜର ସାର୍ବଜନୀନ ମାନସିକତାକୁ ଦର୍ଶୋଉଛି ।
ଏହି ସମାଜ ବିଭିନ୍ନ ପ୍ରକାର ଚରିତ୍ରରେ ଭରପୁର । ଯେହେତୁ ସ୍ୱୟଂବରରେ ସେମିତି କିଛି ପ୍ରତିବନ୍ଧକ ନଥିଲା ତେଣୁ ଅନେକ ରକମର ପ୍ରାର୍ଥୀଙ୍କୁ ନାଟ୍ୟକାର ସ୍ଥାନ ଦେଇଛନ୍ତି ତାଙ୍କ ନାଟକରେ । ସେମିତି ଦୁଇଟି ଚରିତ୍ର ମାନ୍ଧାତା ଓ ତାଙ୍କ ମହକିଲ ଗୌରାଙ୍ଗ । ମାନ୍ଧାତା ବୃତ୍ତିରେ ଓକିଲ । ପାରିବାରିକ ସ୍ୱଚ୍ଛଳତା ନାହିଁ ବ୍ୟବସାୟ କରିବା ପାଇଁ । ପାଠ ବି ଭଲ ପଢି ପାରିନାହାନ୍ତି । ତେଣୁ ଚାକିରି ବି ମିଳିଲା ନାହିଁ । ସବୁ ଆଡୁ ଅସଫଳ ହେବା ପରେ ଓକିଲାତିକୁ ବୃତ୍ତି ହିସାବରେ ଗ୍ରହଣ କରିଛନ୍ତି । କିନ୍ତୁ ସେଥିରେ ବି ଅସଫଳ । ବୟସ ବି ଚାଳିଶି ପାର୍ ହୋଇଗଲାଣି । ସତ ମିଛରେ ତାଳ ମେଳ ରଖିନପାରି ଦୁହେଁ ନିବେଦିତାଙ୍କ ବିରକ୍ତିର ଶିକାର ହୋଇଛନ୍ତି ଓ ସେହି ଜାଗାରୁ ତୁରନ୍ତ ପ୍ରସ୍ଥାନ କରିଛନ୍ତି । ଏହି ଦୁଇ ଚରିତ୍ର ସମାଜରେ ଅନେକ ପରିମାଣରେ ଦେଖିବାକୁ ମିଳିଥାଏ । ଏହି ଦୁଇ ଚରିତ୍ର ମାଧ୍ୟମରେ ନାଟ୍ୟକାରଙ୍କ ସଂଳାପ ଦର୍ଶକଙ୍କୁ ତଥା ପାଠକଙ୍କୁ ବେଶ୍ ମନୋରଞ୍ଜନର ଖୋରାକ ଯୋଗାଇଛି ।
ସେହିଭଳି ଆଉ ଏକ ଚରିତ୍ର ଡକ୍ଟର୍ ପ୍ରଧାନ ମଧ୍ୟ ଦର୍ଶକ ତଥା ପାଠକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇ ପାରିଛି । ଡକ୍ଟର୍ ପ୍ରଧାନ ନାଁ ଡାକ୍ତରୀ ପାଠ ପଢିଛନ୍ତି ନାଁ କୌଣସି ବିଷୟରେ ଡକ୍ଟରେଟ୍ କରିଛନ୍ତି । ପାଠ ନ ପଢି ତାଙ୍କ ଘରେ ଡକ୍ଟର୍, ଇଞ୍ଜିନିୟର୍ ଓ ରାଜକୁମାରୀ । ପ୍ରକୃତରେ ସେମାନଙ୍କର ବାପା ସେମାନଙ୍କର ନାମକରଣ ଏହି ଭଳି କରିଥିଲେ । ଅନେକ ପରିବାରରେ ଏହି ଭଳି କିମ୍ଭୂତକିମାକାର ନାମକରଣ ଦେଖିବାକୁ ମିଳିଥାଏ । ଡକ୍ଟରଙ୍କର ବାବା ବି କୌଣସି କାମ ନ କରି ପ୍ରଥମେ ରାଜନୀତିରେ ଯେଉଁ ଦଳ ଡାକୁଥିଲା, ସେହି ଦଳରେ ଯାଇ ଯାହା ଯେମିତି ମିଳେ ସେଥିରେ ପରିବାର ପୋଷଣ କରୁଥିଲେ । କିନ୍ତୁ ବର୍ତ୍ତମାନ୍ ସ୍ମାର୍ଟ୍ ଫୋନ୍ ଓ ସୋସିଆଲ୍ ମିଡିଆର ଜମାନାରେ ଏକାଧିକ ଦଳରେ ଗଲେ ଧରାପଡିଯିବାର ସମ୍ଭାବନା ହେତୁ ନିଜ ନାମର ସାହାରା ନେଇ କୌଣସି ଏକ ଧନୀ ଝିଅକୁ ବିବାହ କରି ନିଜ ଆର୍ଥିକ ସମସ୍ୟାର ସମାଧାନ କରିପାରିବାର ସ୍ୱପ୍ନ ଦେଖୁଥିବା ଏହି ଯୁବକ ମୂଲିଆ କାମ କରି କିମ୍ବା ଚୋରି କରି ପେଟ ପୋଷିବାକୁ ଅନିଚ୍ଛୁକ । ଯାହାର ଏତେ ବଡ ନେତା ମନ୍ତ୍ରୀଙ୍କ ସହିତ ବସା ଉଠା, ସେ ମୂଲିଆ କାମ କଲେ ସମ୍ମାନ ହାନି ହେବା ମନ କରେ । ଆଉ ଚୋରି କଲେ ତ ସହଜରେ ସମ୍ମାନ ହାନି ହୁଏ ।
ପ୍ରାର୍ଥୀମାନଙ୍କ ଭିତରେ ଅଛନ୍ତି ଜଣେ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇଥିବା ମଧ୍ୟବୟସ୍କ ବ୍ୟାଙ୍କ୍ କର୍ମଚାରୀ । ପ୍ରଥମ ବିବାହର ଅସଫଳତା ପରେ ସେ ଦ୍ୱିତୀୟ ବିବାହ ପାଇଁ ମନ ବଳେଇ ନଥିବା ସ୍ଥଳେ ଗୋଟିଏ ଘଟଣା ତାଙ୍କୁ ଦ୍ୱିତୀୟ ବିବାହ ପାଇଁ ଚିନ୍ତା କରିବାକୁ ବାଧ୍ୟ କରେଇଥିଲା । ଘଟଣାଟି ଥିଲା ଗୋଟିଏ ସିନିୟର୍ ସିଟିଜନଙ୍କର ବିଜ୍ଞାପନ ତାଙ୍କୁ ଆଡପ୍ଟ୍ କରିବା ନେଇ । ତାଙ୍କର ବ୍ୟାଙ୍କ୍ ବାଲାନ୍ସ୍ ଯଥେଷ୍ଟ ଥିଲା । ଘର ମଧ୍ୟ ଥିଲା । ପେନସନ୍ ପାଖାପାଖି ୮୦୦୦୦ ଟଙ୍କା ଥିଲା ବୋଲି ଉଲ୍ଲେଖ କରିଥିଲେ । କିନ୍ତୁ ପାଖରେ କେହି ନଥିଲେ ।
ଏହିପରି ଜଣଙ୍କ ପରେ ଜଣେ ପ୍ରାର୍ଥୀଙ୍କର ଆଗମନରେ ବିଚଳିତ ରାଜକୁମାରୀ ନିବେଦିତା । ସେ ଅସ୍ଥିର । ସ୍ଥିର କରିପାରୁନାହାନ୍ତି କଣ କରିବେ ?
ଶେଷରେ କୁଳ ଗୁରୁଙ୍କର ମୁଖରେ ପୂର୍ବରୁ ଦିଆଯାଇଥିବା ସଂଳାପ ସହିତ ନାଟକର ପରିସମାପ୍ତି ଘଟିଛି ।
ନାଟକର ଜଣେ ଗୌଣ କଳାକାର ହେଲା ଅହଲ୍ୟା । ରାଜକୁମାରୀ ନିବେଦିତାଙ୍କର ସହାୟିକା । ଯଦିଓ ଅହଲ୍ୟା ପାଖରେ କହିବା ପାଇଁ ବିଶେଷ କିଛି ସଂଳାପ ନାହିଁ, ତେବେ ବି ସେହି ଅହଲ୍ୟା ନାମଧାରୀ ଚରିତ୍ରଟି ନଥିରେ ନାଟକଟି ଅସମ୍ପୂର୍ଣ୍ଣ ହୋଇଥାନ୍ତା ।
ଏହା ହେଉଛି ପ୍ରମୋଦ କୁମାର ଜେନାଙ୍କର ନାଟକ ସ୍ୱୟଂବରର ବିଶେଷତ୍ୱ । ସମାଜର ସବୁ ଅଙ୍ଗ ବିଷୟରେ ସମ୍ୟକ୍ ଧାରଣା, ପ୍ରତିଟି କଳାକାର ପ୍ରତି ସମାନ ଗୁରୁତ୍ୱ ଓ ଦର୍ଶକ ଓ ପାଠକଙ୍କୁ କିଛି ଭାବିବାର ଖୋରାକ ଯୋଗାଇଛି ଏହି ନାଟକ ।
ବିବାହ ଏକ ପବିତ୍ର ବନ୍ଧନ । ଏ ବନ୍ଧନକୁ ସୁଦୃଢ କରେ ପ୍ରେମ । ସେ ପ୍ରେମ ଏତେ ନିବିଡ ଯେ ଶାସ୍ତ୍ର ମତ ଅନୁସାରେ ଏହା ସାତ ଜନ୍ମ ପର୍ଯ୍ୟନ୍ତ ଅତୁଟ ରହେ । କିନ୍ତୁ ବିଡମ୍ବନା, ଏବେ ବିବାହ ବନ୍ଧନରେ ବନ୍ଧା ଦୁଇଟି ପ୍ରାଣ ଅଣନିଃଶ୍ୱାସୀ । ବୈବାହିକ ଜୀବନରେ ଦାମ୍ପତ୍ୟ ସୁଖ ଏକ ପ୍ରହେଳିକା । କଳହ, ମତାନ୍ତର, ପାରିବାରିକ ହିଂସା କ୍ରମେ ବଧୂ ହତ୍ୟା, ଆତ୍ମହତ୍ୟା ତଥା ବିବାହ ବିଚ୍ଛେଦରେ ରୂପାନ୍ତରିତ ହେଉଛି । ଏହିପରି ସବୁ ଭୟାବହ ପରିସ୍ଥିତିରେ ଆଜିର ସମାଜ ବ୍ୟଥିତ ।
ଅନୁଧ୍ୟାନ କଲେ ଜଣାଯାଏ ଯେ, ସବୁର ମୂଳ କାରଣ ହେଉଛି ଆଜି ଯୁବପିଢିଙ୍କର ମାନସିକତା, ଅସୁମାରୀ ଆଶା ଓ ଆକାଂକ୍ଷା । ଏ କାମନାର ଦୈର୍ଘ୍ୟ ଯେତେ... ଦୁଃଖର ମାତ୍ରାଟା ସେତିକି ।
ନାଟକ ‘ସ୍ୱୟମ୍ବର’ ଏକ ପ୍ରତୀକାତ୍ମକ ଉପସ୍ଥାପନା, ଯାହାକୁ ଆମେ Symbolic Representation କହିଥାଉ । ଖାଲି ଯେ ଏ ସବୁ ମହିଳାମାନଙ୍କ ଭିତରେ ସୀମିତ ତା ନୁହେଁ, ଏ ବ୍ୟାଧିରେ ଆଜି ସମଗ୍ର ଯୁବ ପିଢି ପୀଡିତ । ଆସନ୍ତୁ ସମସ୍ତେ ମିଶି ଏ ବ୍ୟାଧିର ନିରାକରଣ କଥା ଚିନ୍ତା କରିବା ।
ତେବେ ଏବେ ଆସିବା ନାଟକର କଳା ଦିଗଟିକୁ । ଚିରାଚରିତ ପ୍ରଥା ଠାରୁ ଅନେକ ଅଲଗା ଏହି ନାଟକ । ଏହା ଏକ ପ୍ରୟୋଗାତ୍ମକ ନାଟକ । ଏହି ନାଟକରେ ନବ ରସ ଯଥା; ଶୃଙ୍ଗାର, ବୀର, କରୁଣ, ହାସ୍ୟ, ଭୟାନକ, ରୌଦ୍ର, ଶାନ୍ତ, ଅଦ୍ଭୁତ, ବୀଭତ୍ସ ମଧ୍ୟରୁ ଭୟାନକ, ରୌଦ୍ର, ବୀଭତ୍ସ ରସକୁ ସ୍ଥାନ ଦିଆଯାଇନାହିଁ । କେହି କେହି ମତ ଦେଇଥିଲେ ଯେ ଗୋଟିଏ ସ୍ୱତନ୍ତ୍ର ଶ୍ରେଣୀର ଦର୍ଶକଙ୍କ ପାଇଁ ଉଦ୍ଦିଷ୍ଟ ଏହି ନାଟକ । କିନ୍ତୁ ନାଟକଟି ପଢିବା ପରେ ମନେ ହୁଏ ସମାଜର ସମସ୍ତ ବର୍ଗଙ୍କୁ ସ୍ପର୍ଶ କରିବ ଏହି ନାଟକର ବିଷୟବସ୍ତୁ । ନବରସର ତିନିଟି ରସକୁ ବାଦ୍ ଦିଆଯିବା ହେଉଛି ନାଟକର କଳା ଦିଗ । ବାଦ୍ ଦିଆଯାଇଥିବା ଏହି ରସ ସବୁରେ ରୁଚି ରଖିଥିବା ପାଠକ ତଥା ଦର୍ଶକ ନିରାଶ ହୋଇପାରିନ୍ତି । କିନ୍ତୁ ଏହି ସବୁ ରସକୁ ବାଦ୍ ଦେଇ ବି ନାଟକଟି ବେଶ୍ ମନୋରଞ୍ଜନ ଯୋଗାଇପାରିବ ଏଥିରେ ଅତ୍ୟୁକ୍ତି ନାହିଁ ।
କିଛି ଅଭିଯୋଗ ଏହି ପରିପ୍ରେକ୍ଷୀରେ । ଥରେ ଜଣେ ନାଟ୍ୟକାର କହିଲେ ବଙ୍ଗଳା ଭାଷାରୁ ଗୋଟିଏ ନାଟକ ଅନୁବାଦ କରି ତାକୁ ମଞ୍ଚସ୍ଥ କରେଇବା ପାଇଁ । ତେବେ କଣ ଓଡିଆ ଭାଷାରେ କିଛି ନାଟକ ନାହିଁ ? ଭାବିବାର ବିଷୟ ଯେ କେତେଟା ଓଡିଆ ଭାଷୀ ନାଟକ ଅନ୍ୟ ଭାଷାକୁ ଅନୁଦିତ ହୋଇଛି ଓ ମଞ୍ଚସ୍ଥ ହୋଇଛି ? ନାଟ୍ୟକାରଙ୍କର ପ୍ରଶ୍ନ ଥିଲା, ଓଡିଆ ଭାଷାରେ ନାଟକ କାହିଁ ? ସେହି ନାଟ୍ୟକାରଙ୍କୁ ପ୍ରଶ୍ନ ହେଉଛି, ସେ କେତେଟା ନାଟକ ପଢିଛନ୍ତି ? ଆଉ ଏହି ସବୁ ପ୍ରଶ୍ନର ଉତ୍ତର ହେଲା ନାଟକ ସ୍ୱୟଂବର । କାଞ୍ଚିକାବେରୀ, ଭାତ, ପ୍ରତୀକ୍ଷାରେ ପରୀକ୍ଷିତ, ତଟ ନିରଞ୍ଜନା ଭଳି ଭିନ୍ନ ସ୍ୱାଦର ଯୁଗୋପଯୋଗୀ ନାଟକ ଭଳି ଏହି ନାଟକ କେବଳ ସର୍ବଭାରତୀୟ ସ୍ତର ନୁହେଁ, ବିଶ୍ୱ ସ୍ତରରେ ଆଦୃତି ପାଇବା ଭଳି କ୍ଷମତା ରଖିଛି ।
ବି.ଦ୍ର. ସମ୍ପ୍ରତି ନାଟ୍ୟକାରଙ୍କର ଅନ୍ୟ ଏକ ନାଟକ ଡାକରା ଆସିଲା ବଡଦାଣ୍ଡରୁ ୨୦୨୨ ମସିହା ପାଇଁ ରାଜଧାନୀ ପୁସ୍ତକମେଳା ପୁରସ୍କାର ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛି, ଯେଉଁଥିରେ ନବରସର ପରିବେଷଣ କରାଯାଇଛି ।
ରଶ୍ମି ରେଖା ତ୍ରିପାଠୀ ©

ସମୀକ୍ଷାଟି ଲେଖିବା ପରେ ଝଙ୍କାର (ଓଡ଼ିଆ ପତ୍ରିକା)କୁ ପଠେଇଥିଲି ପ୍ରକାଶନ ନିମନ୍ତେ । ବୋଧହୁଏ ତାଙ୍କ ସମ୍ପାଦନା ମଣ୍ଡଳୀକୁ ପସନ୍ଦ ଆସିଲାନି କି କଣ, ଦୁଇ ବର୍ଷ ହୋଇଗଲା ସେମାନେ ପ୍ରକାଶ କଲେନି । ଲାବଣ୍ୟବତୀ ପ୍ରକାଶନି ତାର ନିଜସ୍ୱ ୱେବ୍ ସାଇଟ୍ ପରେ ବ୍ଲଗ୍ ପେଜ୍ ଆରମ୍ଭ କଲା ପରେ ପରୀକ୍ଷାମୂଳକ ଭାବରେ ଏହି ସମୀକ୍ଷାଟି ଦେଇଛି, ପାଠକମାନଙ୍କର ମତାମତ ନିମନ୍ତେ ।